ଜୀବନ ବନ୍ଧୁ

 

 

 

 

 

 

 

 

 

 

 

ଜୀବନ ବନ୍ଧୁ

ଶ୍ରୀ ନୀଳମଣି ବିଦ୍ୟାରତ୍ନ

 

ଉତ୍ସର୍ଗ ପତ୍ର

 

ଦେଶର ଦୁର୍ଦ୍ଦଶା ଦର୍ଶନରେ ଯେ ସତତ ଦୁଃଖାଭିତୂତ ଏବଂ ସାଧ୍ୟମତ ପ୍ରତିକାରପରାୟଣ, ଯେ ବୀଣାପାଣିର ନିଷ୍ଠାପର ଉପାସକ, ଯେ ‘‘ଉତ୍କଳସାହିତ୍ୟ ସମାଜ’’ ଏବଂ ‘‘ଉତ୍କଳ ସମ୍ମିଳନୀ’’ ର ସଭାପତି ପଦଗ୍ରହଣ କରି ପ୍ରଶଂସନୀୟ ରୂପେ ସ୍ୱୀୟ କର୍ତ୍ତବ୍ୟପାଳନ କରିଅଛନ୍ତି, ଯେଉଁ ମହୋଦୟ ‘‘ତପୋବନ’’, ‘‘ଭ୍ରାତୃ ନିବେଦନ’’, ‘‘ମନୋଜ୍ଞାନ ଚମ୍ପୂ’’, ଏବଂ ‘‘ସଙ୍ଗୀତସର୍ବସ୍ୱ’’ ଆଦି ଗ୍ରନ୍ଥରତ୍ନମାନ ରଚନା ଓ ପ୍ରକାଶ କରି ସ୍ୱୀୟ ଈଶ୍ୱରାନୁରାଗିତା, ଭକ୍ତିପ୍ରବଣତା, ସ୍ୱଦେଶ ପ୍ରେମିକତା ଏବଂ ସାହିତ୍ୟ ସଙ୍ଗୀତ ନିପୁଣତାର ପରିଚୟ ପ୍ରଦାନ କରି ପ୍ରାକୃତିକ ଉତ୍କଳରେ ‘‘ରାଜକବି’’ ଆଖ୍ୟାଲାଭ କରିଛନ୍ତି, ଯେ ସତ୍‌ସାହସ ବଳରେ ବିବିଧ ବାଧାବିଘ୍ନ ସହିତ ସପ୍ତସାଗର ପାରହୋଇ ଜ୍ଞାନ-ବିଜ୍ଞାନର ନିତ୍ୟ ଲୀଳାଭୂମି ପାଶ୍ଚାତ୍ୟ ଭୂଖଣ୍ଡ ପରିଭ୍ରମଣ ପୂର୍ବକ ଜ୍ଞାନରତ୍ନ ସଂଗ୍ରହ କରି ପ୍ରତ୍ୟାବୃତ୍ତ ହୋଇଅଛନ୍ତି, ଯେ ବୈଧ ସଂସ୍କାର ବିଷୟରେ ତିଳମାତ୍ର ସଙ୍କୁଚିତ ବା ପରମୁଖାପେକ୍ଷୀ ନୁହନ୍ତି, ଯେ ବିଭିନ୍ନ ସ୍ଥାନରେ କତିପୟ ଜଳାଶୟ ଖନନ ଓ ପଙ୍କୋଦ୍ଧାର କରାଇ ଲକ୍ଷ ଲକ୍ଷ ଜୀବଙ୍କୁ ଜୀବନରୂପୀ ବିଶୁଦ୍ଧଜଳ ଯୋଗାଉଅଛନ୍ତି ଏବଂ ସ୍ୱରାଜ୍ୟରେ ସ୍ୱାସ୍ଥ୍ୟ, କୃଷି, ଶିଳ୍ପ, ଶିକ୍ଷା, ଜ୍ଞାନ ଏବଂ ସଭ୍ୟତାଦିର ଉନ୍ନତ ବିଷୟରେ ଯେଉଁ ମହାମନା ମହୋଦୟ ସତତ ଯତ୍ନବାନ୍‌, ଯେ ବିଦ୍ୟା-ବିନୟ-ସୌଜନ୍ୟ-ସାରଲ୍ୟା-ସ୍ପଷ୍ଟବାଦିତା-ମିତାଚାରିତା-ନିରଭିମାନିତା-ସୁବିବେଚକତାଦି ସଦ୍‌ଗୁଣ ରତ୍ନରେ ବିମଣ୍ଡିତ ଓ ସର୍ବପ୍ରକାର କୁସଂସ୍କାରବର୍ଜିତ, ଯେ ପ୍ରାକୃତିକ ଉତ୍କଳର ଅନ୍ୟତମ ସୁସନ୍ତାନ, ଯେ ଏହି ପୁସ୍ତକର ଲେଖକଙ୍କୁ ସର୍ବଦା ସ୍ନେହପୂର୍ଣ୍ଣ ଚକ୍ଷୁରେ ଅବଲୋକନ କରିଥାନ୍ତି, ସେହି ସୁରଙ୍ଗୀ ମଣ୍ଡଳାଧୀଶ୍ୱର ପରମ ମାନନୀୟ ଶ୍ରୀଯୁକ୍ତ ଶ୍ରୀଚନ୍ଦ୍ର ଚୂଡ଼ାମଣି ରାଜା ହରିଚନ୍ଦନ ଜଗଦ୍ଦେବ ମହୋଦୟଙ୍କ ଗୌରବାନ୍ୱିତ ନାମରେ ଲେଖକଙ୍କର ଆନ୍ତରିକ ଭକ୍ତି, ପ୍ରୀତି ଏବଂ କୃତଜ୍ଞତାର ନିଦର୍ଶନସ୍ୱରୂପ ଏହି ‘‘ଜୀବନବନ୍ଧୁ’’ ପୁସ୍ତକଖଣ୍ଡି ଉତ୍ସୃଷ୍ଟ ହେଲା ।

 

ତା ୨୫/୦୧/୧୫

ଶ୍ରୀ ନୀଳମଣି ବିଦ୍ୟାରତ୍ନ

 

ଜଳ ନାରାୟଣଙ୍କ ଆବାସ ସ୍ଥାନ ବୋଲି ଭଗବାନ ମନୁ ତାଙ୍କ ପ୍ରଣୀତ ସଂହିତାର ପ୍ରଥମ ଅଧ୍ୟାୟ ଦଶମ ଶ୍ଳୋକରେ ଲେଖିଅଛନ୍ତି–

 

‘‘ଆପୋ ନାରା ଇତି ପ୍ରୋକ୍ତା ଆପୋବୈ ନରସୁନବଃ

ତା ଯଦସ୍ୟାୟନଂ ପୂର୍ବଂ ତେନ ନାରାୟଣଃ ସ୍ମୃତଃ ।’’

 

ଅମର, କିନ୍ନର, ଯକ୍ଷ, ନର ପ୍ରଭୃତି ସମସ୍ତଙ୍କର ଉପାସ୍ୟ ଦେବାଧିଦେବ ମହାଦେବଙ୍କ ପ୍ରଧାନ ଅଷ୍ଟମୂର୍ତ୍ତି ମଧ୍ୟରେ ଜଳ ଦ୍ଵିତୀୟ ମୂର୍ତ୍ତି । ଜଳର ପୂଜା ନ କଲେ ଶିବପୂଜା ସମ୍ପୂର୍ଣ୍ଣ ହୁଏନାହିଁ । ଭବିଷ୍ୟ ପୁରାଣରେ ଲିଖିତ ଅଛି,-’’ଭବାୟ ଜଳମୂର୍ତ୍ତୟେ ନମଃ ।’’ ସର୍ବପ୍ରକାର ଦେବଦେବୀଙ୍କ ପୂଜା ନିମନ୍ତେ ପ୍ରଥମରେ ଜଳମଧ୍ୟରେ ପୁଣ୍ୟତୀର୍ଥ ସମୂହର ଆବାହନ କରାଯାଏ । ପୂଜାବେଳେ ଦେବତାଙ୍କ ଆବାହନ ସର୍ବାଗ୍ରେ ଅର୍ଘ୍ୟପାତ୍ରସ୍ଥ ଜଳମଧ୍ୟରେ କରିବାକୁ ହୁଏ, ପରେ ସେହି ଜଳଦ୍ୱାରା ସମସ୍ତ ପୂଜାର ଉପକରଣାଦି ପ୍ରୋକ୍ଷିତ ହୋଇ ଦେବତାଙ୍କୁ ନିବେଦନ କରାଯାଇଥାଏ । ଏଥିରୁ ଜଳର ଅତିଶ୍ରେଷ୍ଠତା ସୁସ୍ପଷ୍ଟରୂପେ ପ୍ରତିପନ୍ନ ହେଉଅଛି ।

 

ଜଳ ଜୀବର ଜୀବନସ୍ୱରୂପ । ଜଳାଭାବରେ ଜୀବନରକ୍ଷା ଅସମ୍ଭବ । ଶରୀରରକ୍ଷା–ଜୀବନଧାରଣ ନିମନ୍ତେ ବାୟୁ ଓ ଖାଦ୍ୟପରି ଜଳ ଅତି ପ୍ରୟୋଜନ । ସମଗ୍ର ମାନବ ଶରୀରର ୩ ଭାଗର ୨ ଭାଗ ଜଳ । ଏହି ଜଳଦ୍ୱାରା ରକ୍ତ ତରଳ ଥାଏ, ଶରୀର ମଧ୍ୟରେ ଭୁକ୍ତ ବସ୍ତୁର ପରିପାକ ହୁଏ ଓ ତହିଁରୁ ଶରୀରର ପୁଷ୍ଟି ଓ କାର୍ଯ୍ୟକାରୀ ଶକ୍ତି ଜାତହୁଏ । ସ୍ନାନଦ୍ୱାରା ଆମ୍ଭମାନଙ୍କର ଚର୍ମ୍ମ କୋମଳ ଓ ସୁନ୍ଦର ହୋଇଥାଏ, ଏହିପରି ଜଳଦ୍ୱାରା ଶରୀରର ପୋଷଣ ଓ ଶୋଷଣାଦି ସକଳପ୍ରକାର କାର୍ଯ୍ୟନିର୍ବାହ ହୁଏ । ଆମ୍ଭେମାନେ ସେହି ଜଳହେତୁ ସୁସ୍ଥ ଦେହରେ ଜୀବନଯାପନ କରୁଁ ଏବଂ ସକଳପ୍ରକାର କାର୍ଯ୍ୟସମ୍ପନ୍ନ କରିପାରୁ, ଉପକାରିତା ଦୃଷ୍ଟିରେ ବାୟୁପରେ ଜଳର ସ୍ଥାନ, ତତ୍ପରେ ଖାଦ୍ୟ ।

 

ସୁଚାରୁରୂପେ ଶରୀର ଓ ସ୍ୱାସ୍ଥ୍ୟରକ୍ଷା କରିବାକୁ ହେଲେ ଜଳର ଆବଶ୍ୟକ, କିନ୍ତୁ ସକଳସ୍ଥାନର ଜଳ ସମାନ ଫଳପ୍ରଦ ନୁହେ । ସ୍ଥାନଭେଦରେ ଅଳ୍ପାଧିକ ପରିମାଣରେ ଜଳର ଗୁଣ ଭେଦଅଛି । ସ୍ନାନ, ରନ୍ଧନ ଏବଂ ପାକାଦି କାର୍ଯ୍ୟ ନିମନ୍ତେ ଆମ୍ଭମାନଙ୍କ ଦେଶରେ କୂପ, ପୁଷ୍କରିଣୀ, ନଦୀ, ଖାଲ ଏବଂ ଝରଣା ଜଳ ବ୍ୟବହୃତ ହୁଏ । ସେ ସବୁ ଜଳର ପୃଥକ୍ ପୃଥକ୍ ଗୁଣ ଶାସ୍ତ୍ରରେ ନିମ୍ନଲିଖିତ ପ୍ରକାରେ ବର୍ଣ୍ଣିତ ଅଛି ।

 

କୂପଜଳ ବାତ ଓ କଫ ନାଶକ, ଅଗ୍ନି ଉଦ୍ଦୀପକ, ଲଘୁ ଓ ପିତ୍ତଜନକ । ପୁଷ୍କରିଣୀ ଜଳ ଲଘୁ, ତୃଷ୍ଣାନାଶକ, ବଳକର, ସ୍ୱାଦୁ ଏବଂ କଷାୟରସ ବିଶିଷ୍ଟ; ଅତି ପ୍ରାଚୀନ ଜଳାଶୟ (ତଡ଼ାଗ)ର ଜଳ ବାତବର୍ଦ୍ଧକ, ସ୍ୱାଦୁ, କଟୁପାକୀ ଏବଂ କଷାୟ ରସଯୁକ୍ତ । ବେଗଗାମୀ ନଦୀର ଜଳ (ବର୍ଷାକାଳ ବ୍ୟତୀତ) ଲଘୁ ଏବଂ ନିର୍ମ୍ମଳ ହୋଇଥାଏ । ମୃଦୁସ୍ରୋତବିଶିଷ୍ଟ ନଦୀର ଜଳ ପ୍ରାୟ ଗୁରୁପାକୀ । ପ୍ରସ୍ତର ଓ ବାଲୁକା ବିଶିଷ୍ଟ ନଦୀର ଜଳ ଅତିଶୟ ନିର୍ମ୍ମଳ । ଝରଣାଜଳ ଲଘୁ, ହିତଜନକ, ଦୀପକ ଏବଂ କଫନାଶକ । ପଲ୍ୱଳ (ଖାଲ ବା ଚୁଆ) ଜଳ କ୍ଳେଦଜନକ, ବିଷ୍ଟବ୍ଧା ଜୀର୍ଣ୍ଣକାରୀ ଏବଂ ତ୍ରିଦୋଷବର୍ଦ୍ଧକ ।

 

ବ୍ୟବହୃତ ଜଳର ସାଧାରଣ ଦୋଷଗୁଣ ଉପରେ ବର୍ଣ୍ଣିତ ହେଲା : ମାତ୍ର ବ୍ୟବହାର ଦୋଷରେ ସେହି ଜଳମାନ ବିବିଧ ମଳଯୁକ୍ତ ହୁଏ । ବର୍ଷାକାଳରେ ମଳମୂତ୍ରାଦି ଦୂଷିତ ଦ୍ରବ୍ୟମାନ ଜଳସହିତ ଜଡ଼ିତ ହୋଇଥାଏ, ଗ୍ରୀଷ୍ମକାଳରେ ଜଳାଶୟମାନଙ୍କର ଅନଳ୍ପ ଜଳ ପଙ୍କିଳ ଓ କୀଟଯୁକ୍ତ ହୋଇଥାଏ । ସେହି ସବୁ ଜଳ ବ୍ୟବହାର କଲେ ଶରୀରର ବିବିଧ ଅନିଷ୍ଟସାଧନ କରିଥାଏ । କେବଳ ଜଳଦୋଷଜନିତ ରୋଗର ପ୍ରବଳତା ଏ ଦେଶକୁ ଶ୍ମଶାନରେ ପରିଣତ କରିବାକୁ ବସିଅଛି-। ଶରୀରତତ୍ତ୍ଵବିତ୍ ପଣ୍ଡିତମାନେ ଏକବାକ୍ୟରେ-ମୁକ୍ତକଣ୍ଠରେ ବ୍ୟକ୍ତ କରୁଅଛନ୍ତି ଯେ ‘‘ଅବିଶୁଦ୍ଧ ଜଳହିଁ ଏ ଦେଶରେ ଅକାଳମୃତ୍ୟୁ ବୃଦ୍ଧିର ପ୍ରଧାନ କାରଣ ।’’

 

‘‘ସୁଶ୍ରୁତ’’ ନାମକ ସୁପ୍ରସିଦ୍ଧ ବୈଦ୍ୟକ ଗ୍ରନ୍ଥରେ ଲିଖିତଅଛି –

 

‘‘ଵ୍ୟାପନ୍ନଂ ସଲିଳଂ ଯସ୍ତୁ ପିବତିହା ପ୍ରସାଧିତଂ

ଶୟଥୁଂ ପାଣ୍ଡୁ ରୋଗଞ୍ଚତ୍ୱଗ୍ଦୋଷ ମବିପାକିତାଂ

ଶ୍ୱାସ କାସ ପ୍ରତୀଶ୍ୟାୟ ଶୂଳଗୁଳ୍ମୋଦରାଣି ଚ

ଅନ୍ୟାନ୍ ବା ଵିଷମାନ୍ ରୋଗାନ୍ ପ୍ରାପୁୟାତ୍ କ୍ଷିପ୍ରମେବଚ’’

 

ଯଦି କେହି ଵ୍ୟାପନ୍ନ (ଦୂଷିତ) ଜଳ ଶୋଧିତ ନକରି ପାନ ଏବଂ ତହିଁରେ ଅବଗାହନ କରେ, ତାହାହେଲେ ତାହାର ଶୋଥ ପାଣ୍ଡୁ ଦଦ୍ରୂ ଆଦି ଚର୍ମ୍ମରୋଗ, ଅବିପାକ, କାଶ, ଶ୍ୱାସ, ସର୍ଦ୍ଦି, ଶୂଳ, ଗୁଳ୍ମ, ଉଦରାମୟ ଏବଂ ଅନ୍ୟାନ୍ୟ ଉତ୍କଟ ରୋଗସମୂହ ଅତିଶୀଘ୍ର ଜାତହୁଏ ।

 

ବିସୂଚିକା ରୋଗରେ ଭାରତର ଅନେକ ସହସ୍ରଲୋକ ବର୍ଷକୁବର୍ଷ କାଳଗ୍ରାସରେ ପତିତ ହେଉ ଅଛନ୍ତି । ଦୂଷିତଜଳ ବ୍ୟବହାର ତହିଁର ପ୍ରଧାନ କାରଣ । ଦୂଷିତଜଳ ମଧ୍ୟରେ ବିସୂଚିକାର ବୀଜାଣୁ ଅବସ୍ଥିତି କରି ସହଜରେ ମାନବ ଶରୀରରେ ପ୍ରବିଷ୍ଟ ହୁଏ ଏବଂ ଅନିଷ୍ଟ ସାଧନ କରେ ।

 

ବ୍ରହ୍ମ ଦେଶାନ୍ତର୍ଗତ ‘‘ଆକାୟବ’’ ନାମକ ନଗର ନିବାସୀ ‘‘କୌଇ’’ ନାମକ ଜଣେ ଡାକ୍ତର ସାହେବ ଲେଖିଅଛନ୍ତି,–’’ବର୍ମ୍ମାଦେଶୀୟ ଲୋକମାନେ ଅପରିଷ୍କାର ଜଳପାନ କରିବାରୁ ସେମାନଙ୍କ ମଧ୍ୟରୁ ବହୁଲୋକ ବିସୂଚିକା ରୋଗଗ୍ରସ୍ତ ହୋଇ ମରିଗଲେ । ସେଠାରେ ଥିବା ଲୋକମାନଙ୍କ ମଧ୍ୟରେ ଯେଉଁମାନେ ଅପରିଷ୍କାର ଜଳ ବ୍ୟବହାର କରିନଥିଲେ ସେମାନେ ସୁସ୍ଥ ଶରୀରରେ ଥିଲେ । ୧୬୦ଜଣ ଚୀନଦେଶୀୟ ଲୋକ ସେଠାରେ ଥିଲେ । ସେମାନେ ଗରମଜଳ ବ୍ୟବହାରକରି ରୋଗ ଆକ୍ରମଣରୁ ରକ୍ଷାପାଇଥିଲେ । ସେ ସମୟରେ ସେଠାକୁ ଆସି ରହିଥିବା ମାର୍କିନ ଦେଶୀୟ ଜାହାଜର ଲୋକମାନେ ଜାହାଜରେ ସଞ୍ଚିତ ଥିବା ଜଳ ବ୍ୟବହାର କରି କୁଶଳରେ ଥିଲେ । ପରେ ସେହି ଜାହାଜର ଚାରିଜଣଲୋକ ସ୍ଥାନୀୟ ଦୂଷିତଜଳ ପାନକରି ବିସୂଚିକା ରୋଗରେ ପୀଡ଼ିତ ହୋଇଥିଲେ ।’’ ଅତଏବ ଦୂଷିତଜଳ ଯେ ଯାବତୀୟ ରୋଗର ବିଶେଷତଃ ବିସୂଚିକାର ଜନକ, ଏହା କେହି ଅସ୍ଵୀକାର କରିପାରିବେ ନାହିଁ ।

 

ବିଶୁଦ୍ଧ ଜଳ ଯେପରି ଜୀବନ ରକ୍ଷକ, ଅବିଶୁଦ୍ଧ ଜଳ ସେହିପରି ବିବିଧ ରୋଗଜନକ, ଯନ୍ତ୍ରଣାଦାୟକ ଏବଂ ପ୍ରାଣନାଶକ ଥିବା କଥା ପୂର୍ବ ପରିଚ୍ଛେଦମାନଙ୍କରେ ପ୍ରତିପନ୍ନ କରାଯାଇଅଛି-। ଏପରି ଅବସ୍ଥାରେ ଜଳ ଦୂଷିତ ନହେବା ନିମନ୍ତେ ଯଥାସାଧ୍ୟ ଉପାୟ ଅବଲମ୍ବନ କରିବା ଉଚିତ-। ଜଳ ପ୍ରଧାନତଃ କି କି କାରଣରେ ଦୂଷିତ ହୁଏ ତାହା ସମସ୍ତଙ୍କୁ ଜଣାଥିବାରୁ ସେ ସମ୍ବନ୍ଧରେ ଅଧିକ ଉଲ୍ଲେଖ ଅନାବଶ୍ୟକ । ଜଳରେ ଶୌଚ, ଗୋମେଷାଦି ସ୍ନାନ, ମଳମୂତ୍ରଯୁକ୍ତ ବସ୍ତ୍ର ଧୌତ, ନଳିତାକାଠ ବାଉଁଶ ଆଦିର ପଚନ, ଜଳରେ ମଳମୂତ୍ର ତ୍ୟାଗ, ଶରୀରର ଶ୍ଳେଷ୍ମା, ନିଷ୍ଠୀବନ, ଜିହ୍ୱାଦିର ମଳ ନିକ୍ଷେପ, ମୃତଜନ୍ତୁ ଏବଂ ପଚା ଉଦ୍ଭିଦର ସଂଯୋଗ, ପଙ୍କୋଧାରର ଅଭାବ, ଶବ ନିକ୍ଷେପ, ପ୍ରସବପରେ ଫୁଲରକ୍ତ ଆଦି ନିକ୍ଷେପ ହେତୁ ଜଳ ଦୂଷିତ ହୋଇଥାଏ । ବର୍ଷାକାଳରେ ନାନାସ୍ଥାନର ଦୂଷିତ ଦ୍ରବ୍ୟମାନ ଧୋଇହୋଇ ଜଳାଶୟରେ ପ୍ରବେଶକରି ଜଳର ଦୁର୍ଗୁଣ ବୃଦ୍ଧି କରିଥାଏ-। ମାନବସମାଜର-ନିଜର-ନିଜ ପରିବାରବର୍ଗଙ୍କର ମଙ୍ଗଳ କାମନାରେ ଜଳ ଦୂଷିତ ନ ହେବା ପ୍ରତି ସମସ୍ତ ନରନାରୀଙ୍କର ସାଧ୍ୟମତ ସତର୍କତା ଅବଲମ୍ବନ କରିବା ଉଚିତ ।

 

ନାରାୟଣଙ୍କର ଆଧାର ଏବଂ ସାକ୍ଷାତ୍‍ ଶିବଙ୍କ ସ୍ୱରୂପ ଏବଂ ଦେବମାନଙ୍କର ପୂଜା ଏବଂ ଅଧିଷ୍ଠାନର ସର୍ବପ୍ରଧାନ ଦ୍ରବ୍ୟ ଜଳକୁ କାହାରି କୌଣସି ପ୍ରକାରେ ଦୂଷିତ ବା ମଳଯୁକ୍ତ କରିବା କର୍ତ୍ତବ୍ୟ ନୁହେଁ । ଅନ୍ୟଥାଚରଣ କଲେ ନିଶ୍ଚୟ ମହାପାପଗ୍ରସ୍ତ ହେବାକୁ ହୁଏ । ଜଳକୁ ଉପରି ଉକ୍ତ କାରଣରୁ ଅତି ପବିତ୍ର ମନେକରାଯାଉଥିବା ହେତୁ ମହାମତି ମନୁ ନିଜ ସଂହିତାରେ ଲେଖିଯାଇଅଛନ୍ତି,–

 

‘‘ନାପ୍‌ସ୍ମମୂତ୍ରଂ ପୁରୀଷଂ ବ ଷ୍ଠୀବନଂ ବା ସମୁତ୍ସଜେତ୍

ଅମେଧ୍ୟଲିପ୍ତମନ୍ୟତ୍ୱା ଲୋହିତଂ ବା ବିଷାଣି ବା’’

 

‘‘ମଳମୂତ୍ର, ଶ୍ଳେଷ୍ମା, ରକ୍ତ ବିଷ (ପ୍ରକୃତ ଓ କୃତ୍ରିମ) ଏବଂ ଅପବିତ୍ରଲିପ୍ତ ଦ୍ରବ୍ୟ ଜଳରେ ତ୍ୟାଗ କରିବ ନାହିଁ ।’’ ବିଷ୍ଣୁସଂହିତାରେ ମଧ୍ୟ ଏହିପରି ନିଷେଧବିଧି ବିଦ୍ୟମାନ ।

 

ବ୍ୟବସ୍ଥାପକମାନେ କେବଳ ନିଷେଧବିଧି କରି ନିଶ୍ଚିନ୍ତ ହୋଇନାହାନ୍ତି, ଜଳକୁ ଦୂଷିତ କରିବା ବ୍ୟକ୍ତିମାନେ ପ୍ରାୟଶ୍ଚିତ୍ତ କରିବାକୁ ବାଧ୍ୟଥିବାର ବିଧାନ ମଧ୍ୟ କରିଯାଇଅଛନ୍ତି । ସ୍ମୃତି ପ୍ରମାଣ ଯଥା,–‘‘ଜଳାଗ୍ନ୍ୟୋରପବିତ୍ରଦ୍ରବ୍ୟତ୍ୟାଗେ ତ୍ର୍ୟହୋପବାସଃ ପ୍ରାୟଶ୍ଚିତ୍ତଂ ।’’ (ଅର୍ଥାତ୍‍) ଜଳ ଓ ଅଗ୍ନିରେ କୌଣସି ଅପବିତ୍ର ଦ୍ରବ୍ୟ ତ୍ୟାଗକଲେ ତ୍ୟାଗକାରୀ ପାପକ୍ଷୟ ନିମନ୍ତେ ତିନିଦିନ ଉପବାସ କରିବ ।’’ ଶୀତତପ ସଂହିତାରେ ଲିଖିତ ଅଛି, ‘‘ଦେବାଳୟରେ ବା ଜଳରେ ମଳମୂତ୍ର ତ୍ୟାଗକଲେ ଗୁହ୍ୟଦେଶରେ ଦୁରାରୋଗ୍ୟ ରୋଗ ଜନ୍ମେ । ଏକମାସକାଳ ନିୟମିତରୂପେ ଦେବତାର୍ଚ୍ଚନ, ଗୋଦାନଦ୍ଵୟ ବା ପ୍ରାଜାପତ୍ୟ ବ୍ରତ କଲେ ସେହି ପାପର କ୍ଷୟ ହୁଏ ।’’ ଯଥା,-

 

‘‘ସୁରାଜୟେ ଜଳେ ବାପି ସୁକୃନ୍ମୁତ୍ରଂ କରୋତି ଯଃ

 

ଗୁଦରୋଗୋ ଭବେତ୍ତସ୍ୟ ପାପରୂପଃ ସୁଦୂସ୍ତରଃ

ମାସ ସୁରାର୍ଚ୍ଚନେ ନୈବ ଗୋଦାନଦ୍ୱିତୟେନ ତୁ

 

ପ୍ରାଜାପତ୍ୟେନ ଚୈକେନ ଶାମ୍ୟନ୍ତି ଗୁଦଜା ରୁଜାଃ’’

 

ଜଳ ଦୂଷିତ କରିବା ବ୍ୟକ୍ତିମାନଙ୍କ ପରି ଦୂଷିତଜଳ ବ୍ୟବହାର କରିବା ବ୍ୟକ୍ତିମାନେ ମଧ୍ୟ ବର୍ଣ୍ଣବିଶେଷରେ ଭିନ୍ନଭିନ୍ନ ପ୍ରାୟଶ୍ଚିତ୍ତ କରିବାର ବ୍ୟବସ୍ଥା ଶାସ୍ତ୍ରରେ ବିଦ୍ୟମାନ । ବ୍ରହ୍ମଜ୍ଞାନସମ୍ପନ୍ନ ଋଷିସତ୍ତମ ଅତ୍ରି ନିଜ ସଂହିତାରେ ଲେଖିଯାଇଅଛନ୍ତି,–

 

‘‘କ୍ଲିନ୍ନ ଭିନ୍ନ ଶବଂ ଯତ୍ସ୍ୟାତ୍ତନ୍ନଦ୍ୟାଉଦକଂ ପିବେତ୍

ପ୍ରାୟଶ୍ଚିତ୍ତଂଚରେତ୍ ପୀତ୍ୱା ତପ୍ତକୃଚ୍ଛ୍ରଂ ଦ୍ୱିଜୋତ୍ତମଃ

 

‘‘ପଚା, ଶବ ଦୂଷିତଜଳ ପାନକଲେ ବ୍ରାହ୍ମଣ ତପ୍ତକୃଚ୍ଛ୍ରଂ ବ୍ରତ କରିବେ ।’’ ପୁନଶ୍ଚ ସେ ଲେଖିଅଛନ୍ତି–

 

‘‘ଶ୍ଳେଷ୍ମୋପାନହବିଣ୍ମୂତ୍ର ସ୍ତ୍ରୀରଜୋ ମଦ୍ୟ ମେବଚ

 

ଏଭିଃ ସଂଦୂଷିତେ କୂପେ ତୋୟଂ ପୀତ୍ୱା କଥଂବିଧିଃ’’

ଏକଂଦ୍ୟହଂତ୍ର୍ୟହଂ ଚୈବ ଦ୍ଵିଜାତୀନାଂ ବିଶୋଧନ,

 

ପ୍ରାୟଶ୍ଚିତ୍ତଂ ପୁନଶ୍ଚୈବ ନକ୍ତଂଶୂଦ୍ରସ୍ୟ ଦାପୟେତ୍’’ ।

 

 

‘‘ଶ୍ଳେଷ୍ମା, ଉପାନହ, ବିଷ୍ଠା, ମୂତ୍ର, ସ୍ତ୍ରୀରଜଃ ଓ ମଦ୍ୟଦ୍ୱାରା ଦୂଷିତଜଳ ପାନକଲେ ପାପକ୍ଷୟ ନିମନ୍ତେ ବ୍ରାହ୍ମଣ ତିନିଦିନ, କ୍ଷତ୍ରିୟ ଦୁଇଦିନ, ବୈଶ୍ୟ ଏକଦିନ ଏବଂ ଶୂଦ୍ର ରାତ୍ରି ମାତ୍ର ଉପବାସ କରିବ ।’’ ଏପରି ଅବସ୍ଥାରେ ଜଳ ଦୂଷିତ ନହେବା ଏବଂ ଦୂଷିତଜଳ ବ୍ୟବହୃତ ନହେବା ପ୍ରତି ମନୋଯୋଗୀ ହେବା ସମସ୍ତଙ୍କର କର୍ତ୍ତବ୍ୟ ।

 

ମଳ ମୂତ୍ରାଗାର, ଆବର୍ଜନା ସ୍ତୂପ ଜଳାଶୟର ଦୂରରେ ରଖିବ, ଜଳାଶୟତଟରେ ବା ଯେଉଁସ୍ଥାନରେ ମଳମୂତ୍ର ତ୍ୟାଗକଲେ ଧୋଇହୋଇ ଜଳାଶୟରେ ମିଶିବ, ସେପରି ସ୍ଥାନରେ ମଳମୂତ୍ରତ୍ୟାଗ କରିବ ନାହିଁ । ଜଳାଶୟରେ ଶୌଚ ହେବନାହିଁ,–ଜଳନେଇ ଅନ୍ୟସ୍ଥାନରେ ଶୌଚ ହେବ ଏବଂ ମଳମୂତ୍ରାଦି ଅମେଧ୍ୟଦ୍ରବ୍ୟ ଯୁକ୍ତବସ୍ତ୍ରମାନ, ବାସନ ମତ୍ସ୍ୟଆଦି ଧୌତ କରିବା କାର୍ଯ୍ୟ ଟେକାଜଳରେ ନିଷ୍ପନ୍ନ କରିବ । ଦୂଷିତଜଳ ପୁଷ୍କରିଣୀରେ ପ୍ରବେଶ କରିନପାରିବା ନିମନ୍ତେ ଚାରିପାଖେ ହିଡ଼ ଦେବ, କୂପ ଚାରିପାଖ ଉଚ୍ଚ ଓ ଗଡ଼ାଣିଆ କରିରଖିବ । ବର୍ଷକୁ ବର୍ଷ କୂପର, ୧୦/୧୫ ବର୍ଷପରେ ପୁଷ୍କରିଣୀର ପଙ୍କୋଧାର କରିବ । ପଶୁସ୍ନାନ, କାଠବାଉଁଶ ନିକ୍ଷେପ ଆଦି କାର୍ଯ୍ୟ ନିମନ୍ତେ ପୃଥକ୍ ଜଳାଶୟ, ସ୍ନାନପାନ ନିମନ୍ତେ ପୃଥକ୍ ଜଳାଶୟ ନିର୍ବାଚନ କରିବ,–ତାହା ଉପର୍ଯ୍ୟୁକ୍ତପ୍ରକାରେ ବା ଅନ୍ୟପ୍ରକାରେ ଦୂଷିତ ନହେବା ପ୍ରତି ସତର୍କ ରହିବାକୁ ହେବ । ଯେଉଁସବୁ କାରଣରୁ ଜଳ ଦୂଷିତ ହୁଏ, ଜନସାଧାରଣ ଉପଯୁକ୍ତ ରୂପେ ଚେଷ୍ଟା କଲେ ତାହାର ପ୍ରାୟ ସମସ୍ତ କାରଣଗୁଡ଼ିକ ନିବାରଣ କରାଯାଇପାରେ । ଏଥିଲାଗି ଅର୍ଥର ତେତେ କିଛି ଆବଶ୍ୟକ ନାହିଁ । ଦୃଢ଼ପ୍ରତିଜ୍ଞା ଓ କିଞ୍ଚିତ ପରିଶ୍ରମ କଲେ ଏବଂ ଯତ୍ନପୂର୍ବକ ଲୋକଙ୍କୁ ସେମାନଙ୍କ ନିଜ ନିଜର ଉପକାର କଥା ବୁଝାଇ ସେହିପରି କରିବାକୁ ବାଧ୍ୟକଲେ ଦୂଷିତଜଳର ଅପକାରରୁ ରକ୍ଷା ମିଳିପାରେ ।

 

ଜଳ ବିଶୁଦ୍ଧ ରଖିବା ନିମନ୍ତେ ଲୋକମାନେ ସତର୍କତାବଲମ୍ବନ କଲେ ମଧ୍ୟ ଅନ୍ୟାନ୍ୟ କାରଣରୁ କେତେକ ପରିମାଣରେ ଜଳ ନିଶ୍ଚୟ ଦୂଷିତ ହେବ । ଜଳଚର ଜୀବର ମୃତ୍ୟୁ, ଜଳାଶୟର ଚତୁର୍ଦ୍ଦିଗସ୍ଥ ବୃକ୍ଷମାନଙ୍କ ପତ୍ର ଉଡ଼ିଆସି ଜଳରେ ପଡ଼ିବା ଏବଂ ସେସବୁ ଓ ଜଳଜ ବୃକ୍ଷଲତା ପୁଣି ତାହାର ପତ୍ର ପଚିବା ଆଦି କାରଣରୁ ଜଳ ଅବଶ୍ୟ କେତେକ ପରିମାଣରେ ଦୂଷିତ ହେବ । ବର୍ଷା ଓ ଖରାକାଳର ଆବିଳ ଜଳମଧ୍ୟ ଶରୀରର ଅପକାର ସାଧନ କରିବ । ଏଥିପାଇଁ ଜଳକୁ ସକଳ ସମୟରେ ଶୋଧିତ କରି ସ୍ନାନପାନ କାର୍ଯ୍ୟରେ ବ୍ୟବହାର କରିବା ବାଞ୍ଚନୀୟ । ନିମ୍ନରେ ଗୋଟି କେତେ ସହଜ ସାଧ୍ୟ ଜଳଶୋଧନ ପ୍ରଣାଳୀ ଲେଖାଯାଉଅଛି ।

 

‘‘ପାରକ୍ଲୋରାଇଡ଼ ଅବା ଆୟରନ୍’’ ଜଳରେ ମିଶାଇଲେ ଜଳ ପରିଷ୍କୃତ ହୁଏ । ପାଞ୍ଚସେର ଜଳରେ ୨୫ ଗ୍ରେନ ବା ଏକ ରତି ଉକ୍ତଦ୍ରବ୍ୟ ମିଶାଇବ । ପଙ୍କିଳ ଗୋଳିଆ ଜଳ ପରିଷ୍କୃତ କରିବା ନିମନ୍ତେ ଜଳାଶୟରେ ଦୁଗ୍ଧ ଶାମୁକା ବା ସିପଚୂନ ପକାଇ ଫୁଟାଇ ବାଉଁଶ ଦ୍ୱାରା ଘାଣ୍ଟିବ । ତାହାର କେତେକ ଘଣ୍ଟାପରେ ଫିଟିକିରି ଗୁଣ୍ଡା ନିକ୍ଷେପ କରିବ । ଫିଟିକିରିର ପରିମାଣ ଚୂନର ଆଠଭାଗରୁ ଏକଭାଗ ହେଲେ ଯଥେଷ୍ଟ ହେବ । ପୁଷ୍କରିଣୀର ଆୟତନାନୁଯାୟୀ ୨/୪ ବସ୍ତା ଚୂନ ନିକ୍ଷେପ କରିବ । ୪/୫ ସେର ଚୂନରେ କୂପ ପରିଶୋଧିତ ହୋଇପାରେ । କୂପ ବୃହତ୍ ଓ ଗଭୀର ହେଲେ ଅର୍ଦ୍ଧମହଣ ପର୍ଯ୍ୟନ୍ତ ଚୂନ ନିକ୍ଷେପ କରିବ । କୂପରେ ଚୂନ ପକାଇଲେ କୂପମଧ୍ୟସ୍ଥ ଭେକଆଦି ମରିଯାଆନ୍ତି, ଏଥିପାଇଁ ସତର୍କ ହେବା ପ୍ରୟୋଜନ । କୂପାଦିରେ ଚୂନ ଓ ଫିଟିକିରି ଦେବାପରେ ନିତାନ୍ତ ପକ୍ଷରେ ଦୁଇଦିନ ଯାଏ ତହିଁର ଜଳ ବ୍ୟବହାର କରିବା ଉଚିତ ନୁହେଁ । କେହି କେହି କେବଳ ଚୂନ ବା କେବଳ ଫିଟିକିରି ବ୍ୟବହାର କରିବାକୁ ଉପଦେଶ ଦେଇଥାନ୍ତି ।

 

ତୁତୀଆକୁ ମହିରିଗିରିଆ କହନ୍ତି । ତାହାର ଇଂରେଜୀ ନାମ ‘‘ସଲଫେଟ୍ ଅବ୍‌ କପର’’-। ତାହା ତମ୍ବାରୁ ଉତ୍ପନ୍ନ ହୁଏ । ଏକଭାଗ ତୁତୀଆ ଜଳରେ ମିଶ୍ରିତ ହେଲେ ୬୦ ହଜାର ଭାଗ ଜଳର ଦୋଷ ନଷ୍ଟ କରିପାରେ । ପୁଷ୍କରିଣୀର ଜଳର ପରିମାଣ ଠିକ୍‍କରି ଭାଗାନୁଯାଇ ତୁତୀଆ ଆଣି ପତଳାକନାରେ ପୁଟୁଳିକରି ଜଳରେ ଭାସିବାଭଳି କାଠରେ ବାନ୍ଧିବ । ପରେ ଉକ୍ତକାଠର ଦୁଇପ୍ରାନ୍ତରେ ଲମ୍ବଦଉଡ଼ି ବାନ୍ଧି ପୁଷ୍କରିଣୀଜଳ ଉପରେ ଚାରିଆଡ଼େ ବୁଲାଇବ, ପୁଟୁଳିରେ ଥିବା ତୁତୀଆ ଜଳର ମିଶିଗଲାରୁ ତିନିଦିନ ଯାଏ ଉକ୍ତ ଜଳ ବ୍ୟବହାର କରିବ ନାହିଁ ।

 

‘‘ପାରମ୍ୟାଙ୍ଗାନେଟ ଅଫ୍ ଆୟାରନ୍’’ ଏକପ୍ରକାର ଡାକ୍ତରୀ ଗୁଣ୍ଡାପରି ପଦାର୍ଥ । ସାଧାରଣତଃ ପ୍ରତ୍ୟେକ କୂପରେ ଅର୍ଦ୍ଧଛଟାଙ୍କ ବା କିଛି ବେଶୀ ଉକ୍ତ ଗୁଣ୍ଡ ଗୋଟାଏ ବାଲଟି ବା ହାଣ୍ଡିରେ ଗୋଳି କୂପମୁଖର ମଧ୍ୟସ୍ଥଳରେ ଢାଳିଦେବ–ଯେପରି କୂପଗର୍ଭର ଚାରିପାଖ କାନ୍ଥରେ ତାହା ନଲାଗେ, କାରଣ ତଦ୍ଦ୍ୱାରା ଔଷଧର ଶକ୍ତିଉଣା ହୁଏ । ତତ୍ପରେ ବାଲ୍‌ତି ବା କଳସୀ ବୁଡ଼ାଇ ଜଳକୁ ଟିକିଏ ଓଲଟପାଲଟ କରିଦେବ । ଉକ୍ତ ଚୂର୍ଣ୍ଣ ଜଳରେ ଗୋଳିଲେ ପକ୍ଵ ପେଇଶାକପରି ବାଇଗଣିରଙ୍ଗ ଧାରଣ କରେ । ଗୋଳିବା ପରେ ଜଳ ହଳଦିଆ ଦିଶିଲେ ଆଉ କିଛି ଚୂର୍ଣ୍ଣ ମିଶାଇବ-। ବର୍ଷାକାଳରେ ବେଶୀଜଳ ଥିଲେ ଶୁଦ୍ଧି ନିମନ୍ତେ ଏକଛଟାଙ୍ଗ ପର୍ଯ୍ୟନ୍ତ ଚୂର୍ଣ୍ଣ ବ୍ୟବହାର କରିବ । ଚୂର୍ଣ୍ଣଗୋଳା ଜଳ ନିକ୍ଷେପ ପରେ ତିନିଚାରି ଦିନ ଅନ୍ତତଃ ୧୨ଘଣ୍ଟା ପର୍ଯ୍ୟନ୍ତ ଉକ୍ତଜଳ ବ୍ୟବହାର କରିବନାହିଁ । ବିସୁଚି ପ୍ରଭୃତି ରୋଗାରମ୍ଭକାଳରେ ଏପରି କୂପ ସଂଶୋଧନ କରିବା ଅବଶ୍ୟ କର୍ତ୍ତବ୍ୟ । ଏହାର ବ୍ୟବହାର ହେତୁ ଜଳ ଉତ୍ତମ ସୁସ୍ୱାଦୁ ମଧ୍ୟ ହୁଏ । ପୁଷ୍କରିଣୀ ଜଳବିଶୋଧନ ପକ୍ଷରେ ମଧ୍ୟ ଏହା ଅତି ଉତ୍ତମ; ମାତ୍ର ଔଷଧର ମୂଲ୍ୟ ଅଧିକ ହେତୁ ଯଥୋଚିତ ପରିମାଣରେ ବ୍ୟବହାର କରି ଜଳଶୋଧନ କରିବାକୁ ଅନେକେ କୁଣ୍ଠିତ ହୋଇ ପାରନ୍ତି । ବିଶେଷ କଥା, ଏହାର ବ୍ୟବହାରରେ ଜଳର ପରିମାଣ ଠିକ କରିବାର ବିଶେଷ ଆବଶ୍ୟକ ନାହିଁ, ଯେତେବେଳେ ଯାଏ ଜଳର ରଙ୍ଗ ଠିକ ନ ହୁଏ ତେତେବେଳ ଯାଏ ଚୂର୍ଣ୍ଣ ମିଶାଇବାକୁ ହେଉଥିବ-

 

କୂପ ଓ ପୁଷ୍କରିଣୀର ଜଳମାନ ପରିଶୋଧିତ ହେବାର ପ୍ରଣାଳୀ ଉପରେ ଉଲ୍ଲିଖିତ ହେଲା । କୂପ ଓ ପୁଷ୍କରିଣୀ ସଂଶୋଧନ ଜନସମଷ୍ଟିର କାର୍ଯ୍ୟ । ସମସ୍ତେ ଏକମତ ହୋଇ ବ୍ୟୟସ୍ୱୀକାର ନକଲେ ସେ ସବୁ ଜଳାଶୟ ସଂଶୋଧନରେ ବିଘ୍ନ ଘଟିପାରେ । ଏପରି ଅବସ୍ଥାରେ ରନ୍ଧନ ଏବଂ ପାନ ନିମନ୍ତେ ଗୃହାଗତ ଜଳ କିପରି ଉପାୟରେ ବ୍ୟବହାରୋପଯୋଗୀ ହେବ ତାହା ନିମ୍ନରେ ପ୍ରକାଶ କରାଯାଉଅଛି ।

 

ବର୍ଷାକାଳରେ ନଦୀ, ପୁଷ୍କରିଣୀର ଜଳ ଗୋଳିଆ ହୁଏ । ସେହି ଜଳହାଣ୍ଡି ବା ମାଠିଆରେ ରଖି ଫିଟିକିରି ଚୂର୍ଣ୍ଣ ବା ବାଉଁଶପତ୍ର ନିକ୍ଷେପ କଲେ କିମ୍ବା ନିର୍ମ୍ମଳା ଫଳ ଘୋରି ଜଳରେ ମିଶାଇଲେ ମଇଳା ତଳେବସିଯାଇ ଜଳ ନିର୍ମ୍ମଳ ହୁଏ । ଆବିଳ ବା ଦୂଷିତ ହୋଇନଥିବା ଜଳରେ ଖଣ୍ଡେ ତମ୍ବା ପକାଇରଖିଲେ ମଧ୍ୟ ଜଳର ଦୋଷ ନଷ୍ଟ ହୁଏ ବୋଲି ବୈଜ୍ଞାନିକମାନେ କହନ୍ତି । ପରିଶୋଧିତ କୂପ, ପୁଷ୍କରିଣୀ ଏବଂ ହାଣ୍ଡି ମାଠିଆର ଜଳକୁ ଉତ୍ତପ୍ତ କରି ଜଳଯନ୍ତ୍ର ସାହାଯ୍ୟରେ ବିଶୋଧନ କରିନେଲେ ଅପେକ୍ଷାକୃତ ନିର୍ଦ୍ଦୋଷ, ଶୀତଳ ଏବଂ ତୃପ୍ତିଜନକ ହୋଇଥାଏ । ଶୋଧନ ପ୍ରଣାଳୀ, ଯଥା–

 

କିଛି ଅଙ୍ଗାର ଏବଂ ନଦୀବାଲିକୁ ଜଳରେ ବାରମ୍ବାର ଧୌତକରି ମଳଶୂନ୍ୟ କରିବ । ତତ୍ପରେ ଚାରିଗୋଟି ମାଠିଆ ଆଣି ତିନିଗୋଟି ମାଠିଆର ତଳପାଖରେ ଗୋଟିଏ ଗୋଟିଏ ଛିଦ୍ର କରିବ । ସେହି ଧୌତ ଓ ପରିଷ୍କୃତ ସଛିଦ୍ର ମାଠିଆର ଗୋଟାକରେ ଅଙ୍ଗାର, ଗୋଟାକରେ ବାଲି ରଖିବ । ପରେ ଚାରିଗୋଟା ମାଠିଆ ତଳ ଉପର କରି ରଖିବାର ବ୍ୟବସ୍ଥା ହୋଇଥିବା ଗୋଟିଏ ତ୍ରିକାଠିଆ ଆଣି ଗୋଟାଏ ସଛିଦ୍ର ମାଠିଆରେ ତପ୍ତଜଳ ରଖି ତା’ ତଳକୁ କ୍ରମରେ ଅଙ୍ଗାର ଓ ବାଲିଥିବା ମାଠିଆ ଏବଂ ତାହା ତଳକୁ ଗୋଟାଏ ଅଛିଦ୍ର ପରିଷ୍କୃତ ମାଠିଆ ରଖିବ । ନିଃସୃତ ଜଳ ଶେଷ ମାଠିଆରେ ରହିବ । ତାହା ଅପେକ୍ଷାକୃତ ନିର୍ଦ୍ଦୋଷ ହେତୁ ତାହାର ବ୍ୟବହାର ଆପଦଜନକ ନୁହେଁ ।

 

ଜଳ ବିଶୋଧନ ନିମନ୍ତେ କେତେକ ଉପାୟ ଉପରେ ବର୍ଣ୍ଣିତ ହେଲା । ଗୋଳିଆଜଳକୁ ବର୍ଣ୍ଣିତ ଉପାୟରେ ନିର୍ମ୍ମଳ କରିନେଇ ସିଦ୍ଧ କରିବାକୁ ହେବ । ଜଳକୁ ସିଦ୍ଧକରିବା ବିଷୟରେ ମଧ୍ୟ ନିୟମାଧୀନ ହେବାକୁ ପଡ଼ିବ । ଜଳ ଗରମହୋଇ ଆସିଲାରୁ ଓହ୍ଲାଇଦେଲେ ନିର୍ଦ୍ଦୋଷ ହେବନାହିଁ-। ଵୈଦ୍ୟଶାସ୍ତ୍ରର ଆଦେଶ–

 

‘‘କ୍ଵାଥ୍ୟମାନନ୍ତୁ ଯତ୍ତୋୟଂ ନିଷ୍ପେନଂ ନିର୍ମ୍ମଳୀକୃତଂ

ଭବତ୍ୟର୍ଦ୍ଧାବଶିଷ୍ଟାନ୍ତୁ ତଦୁଷ୍ଣୋଦକ ମଚ୍ୟତେ ।’’

 

‘‘ସିଦ୍ଧକରିବା ନିମନ୍ତେ ଥିବା ଜଳକୁ ଜଳନ୍ତା ଚୁଲିରେ ବସାଇବ । ଜଳ ଫେଣଶୂନ୍ୟ, ନିର୍ମ୍ମଳ ହୋଇ ଅଧେ ମରିଗଲାରୁ ଅବଶିଷ୍ଟ ଅର୍ଦ୍ଧାଂଶ ଜଳକୁ ଉଷ୍ଣଜଳ କହନ୍ତି ।’’

 

ଏହା ଗ୍ରୀଷ୍ମକାଳର ବ୍ୟବସ୍ଥା, ହେମନ୍ତ ଓ ଶୀତକାଳରେ ଚାରିଭାଗର ଏକଭାଗରୁ ଉଣାଥିବା, ବସନ୍ତକାଳରେ ଚାରିଭାଗରୁ ଏକଭାଗ, ବର୍ଷାକାଳରେ ଆଠଭାଗରୁ ଏକଭାଗ ଊଣାଥିବା ଉଷ୍ମଜଳ ପାନାର୍ଥ ବ୍ୟବହାର କରିବ । ସିଦ୍ଧନିମନ୍ତେ ଚୁଲିରେ ବସାଯାଇଥିବା ଜଳରୁ ଅଧେମାରି ପାନୀୟରୂପେ ବ୍ୟବହାର କଲେ ତଦ୍ଦ୍ୱାରା ପିତ୍ତ, ତିନିଭାଗ ମାରି ବ୍ୟବହାର କଲେ କଫ ଏବଂ ଏକଭାଗ ମାରି ବ୍ୟବହାର କଲେ ବାତ ବିନଷ୍ଟ ହୁଏ, ପୁଣି ଏହିଜଳ ଦୀପକ ଓ ଲଘୁ, ଏହା ବୈଦ୍ୟଶାସ୍ତ୍ରର ମତ, କିନ୍ତୁ ଡାକ୍ତରମାନେ ଭାଗ ନିର୍ଣ୍ଣୟ ନକରି ୧୫ମିନଟ୍‍କାଳ ସିଦ୍ଧକରି ନେଲେ ଜଳ ବିଶୁଦ୍ଧ ହୁଏ ଏବଂ ୨୪ ଘଣ୍ଟାକାଳ ଅବିକୃତ ଅବସ୍ଥାରେ ରହେ । ଶେଷୋକ୍ତ ବିଷୟରେ ଵୈଦ୍ୟଶାସ୍ତ୍ରର ମତ ଭିନ୍ନପ୍ରକାର । ଯଥା,–

 

‘‘ଦିବାଶୃତଃ ଯତ୍ତୋୟଂ ରାତ୍ରୌତଦ୍ଗୁରୁଣାଂ ବ୍ରଜେତ୍

ରାତ୍ରୌଶୃତଂ ଦିବାଚାପି ଗୁରୁତ୍ୱ ମଧିଗଚ୍ଛତି’’ ।

 

‘‘ଦିବସରେ ଜଳ ସିଦ୍ଧକରି ରଖିଲେ ରାତ୍ରକୁ, ରାତ୍ରରେ ସିଦ୍ଧକରି ରଖିଲେ ଦିବସକୁ ଗୁରୁତା ପ୍ରାପ୍ତ ହୁଏ । ଏପରି ମତଭେଦ ସତ୍ତ୍ୱେ ସିଦ୍ଧଜଳ ୨୪ ଘଣ୍ଟା ପର୍ଯ୍ୟନ୍ତ ବ୍ୟବହୃତ ହେଉଥିବା ହେତୁ ସାଧାରଣତଃ ଅପକାର ହେଉଥିବାର ଦେଖାଯାଏ ନାହିଁ, ଅଥଚ ଏ ବ୍ୟବସ୍ଥା ଗୃହସ୍ଥମାନଙ୍କ ପକ୍ଷରେ ସୁବିଧାଜନକ ।

 

ରନ୍ଧନ ନିମନ୍ତେ ବ୍ୟବହୃତ ଜଳକୁ ଆଗରୁ ଗରମ କରିବା ଅନାବଶ୍ୟକ, କେବଳ ଜଳ ଗୋଳିଆ ଥିଲେ ପୂର୍ବଲିଖିତ ପ୍ରଣାଳୀ ଅନୁସାରେ ନିର୍ମ୍ମଳ କରି ବ୍ୟବହାର କରିବ । ପାନୀୟ ଜଳକୁ ସିଦ୍ଧକରି ବ୍ୟବହାର କରିବା ଏକାନ୍ତ କର୍ତ୍ତବ୍ୟ । ସ୍ନାନ ନିମନ୍ତେ ଶୀତଳଜଳ ପ୍ରଶସ୍ତ, ଶୀତଳଜଳରେ ସ୍ନାନକଲେ ଶରୀର ପବିତ୍ର ଏବଂ ଆୟୁବୃଦ୍ଧି ହୋଇଥାଏ । ସେପରି ସ୍ନାନ ଶ୍ରମ, ଘର୍ମ୍ମ ଓ ମଳନାଶକ, ବଳ ଓ ତେଜୋବର୍ଦ୍ଧକ, ପ୍ରସନ୍ନତାକାରକ, ବିଶୁଦ୍ଧଜଳ ଅଭାବରେ ଗରମ ଜଳକୁ ଶୀତଳକରି ବ୍ୟବହାର କରିବା ବିଧେୟ ।

 

ଅନେକଲୋକ ଜଳ ଗରମ କରି ତହିଁରେ ଶୀତଳଜଳ ମିଶାଇ ସ୍ନାନ କରିଥାନ୍ତି । ଶୀତଭୀତବ୍ୟକ୍ତିଙ୍କ ପ୍ରତି ଏହା ସ୍ନାନ ସମୟରେ ସୁଖପ୍ରଦ ହେଲେ ମଧ୍ୟ ତଦ୍ଦ୍ୱାରା ଅନ୍ୟକିଛି ଉପକାର ନାହିଁ । ଯେତେ ଜଳରେ ସ୍ନାନ କରିବ ସେ ସବୁକୁ ଅଗ୍ନିତାପରେ ଭଲରୂପେ ଫୁଟାଇ ଶୀତଳ ହେଲାରୁ ଅଥବା ଆଉ ଉଷ୍ମ ଥାଉ ଥାଉ ତହିଁରେ ସ୍ନାନ କରିବା ଶ୍ରେୟୋଜନକ । ଏ ସମ୍ବନ୍ଧରେ ଆୟୁର୍ବେଦୀୟ ଗ୍ରନ୍ଥରେ ଲିଖିତ ଅଛି ଯେ,–

 

‘‘ଉଷ୍ଣାମ୍ବୁଜାଧଃ କାୟସ୍ୟ ପରିଷେକ ସୁଖାବହଃ

ତେନୈବତୁତ୍ତମାଙ୍ଗସ୍ୟ ବଳଘ୍ନଂ କେଶଚକ୍ଷୁଷୋଃ

ବିନିହନ୍ତି ଶିରସ୍ନାନଂ ତୃଷ୍ଣା ତାଲ୍ୱାସ୍ୟଶୋଷଣଂ

ମଳୋଷ୍ମ ପୀଡ଼ିକା କଣ୍ଡୁ ଶିରୋରୋଗାଂଶ୍ଚ ପିତ୍ତଜାନ୍’’ ।

 

‘‘ଉଷ୍ମଜଳ ଦ୍ୱାରା ଶରୀରର ଅଧୋଭାଗ ଧୌତକଲେ ତଦ୍ଦ୍ୱାରା ସୁଖବୃଦ୍ଧି ହୁଏ । ତହିଁରେ ଶିରଃ ସ୍ନାନ କଲେ କେଶ ଓ ଚକ୍ଷୁର ବଳ ଉଣା ହୁଏ; ତୃଷ୍ଣା, ତାଳୁଶୋଷ, ମୁଖଶୋଷ, କୂପିତମଳ, (ଦୂଷିତ ବାତ ପିତ୍ତ କଫ), ଶରୀରର ଉଷ୍ମତା, ପୀଡ଼କା, କଣ୍ଡୁ, ଶିରୋରୋଗ ଏବଂ ପିତ୍ତଜନିତ ରୋଗ ସମୂହ ଉପଶମ ହୁଏ ।

 

ଶରୀର ଅତ୍ୟନ୍ତ ଦୁର୍ବଳ ବା ପୀଡ଼ିତ ଥିଲେ ଇଷତ୍ ଉଷ୍ଣଜଳରେ ସ୍ନାନକରିବା ଉଚିତ । ସେହି ଜଳରେ କିଛି ଲବଣ ମିଶାଇ ସ୍ନାନକଲେ ଉପକାର ହୁଏ । ପାର୍ଶ୍ଵଶୂଳ, ସର୍ଦ୍ଦି, ବାତରୋଗ, ଗଳଗ୍ରହ, ଆଧ୍ୱାନ, ସ୍ତନିତ କୋଷ୍ଠ, ବିରେଚନ ଏବଂ ନବଜ୍ୱର, ଅରୁଚି, ଗ୍ରହଣୀ, ଗୁଳ୍ମ, ଶ୍ୱାସ, କାଶ, ବିଦ୍ରଧି, ହିକା ରୋଗଗ୍ରସ୍ତ ବ୍ୟକ୍ତିମାନଙ୍କର ଉଷ୍ଣଜଳ ବ୍ୟବହାର କରିବା ଉଚିତ । ଅନ୍ୟଥା ଶୀତଳଜଳ ବ୍ୟବହାର କରି ବିଶେଷ ଫଳଲାଭ କରିପାରିବ ।

 

ଵୈଦ୍ୟଶାସ୍ତ୍ର ନୀତିରେ,–

 

‘‘ଶୀତାମ୍ବୁ ମଦ ମୂର୍ଛାଘ୍ନଂ ଛର୍ଦ୍ଦିପିତ୍ତଜ୍ଵରାପହଂ

ଶ୍ରମ କୃମ ତୃଷା ଦାହ ମଦାତ୍ୟୟ ଵିଷାପହଂ ।’’

 

‘‘ଶୀତଳଜଳ ମତ୍ତତା, ମୂର୍ଚ୍ଛା, ଛର୍ଦ୍ଦି, ପିତ୍ତଜ୍ୱର, ଶ୍ରମ, କ୍ଳାନ୍ତି, ତୃଷ୍ଣା, ଦାହ, ମଦାତ୍ୟୟ ଏବଂ ବିଷରୋଗନାଶକ ।

 

ସ୍ନାନ ଓ ରନ୍ଧନ ନିମନ୍ତେ ଜଳ କିପରି ବ୍ୟବହାର କରିବ, ତାହା ଉପରଲିଖିତ ପରିଚ୍ଛେଦମାନଙ୍କରେ ବ୍ୟକ୍ତ କରାଯାଇଅଛି । ବର୍ତ୍ତମାନ ପାନୀୟ ଜଳ ଓ ପାନକରିବା କାଳ ଓ ରୀତି ସମ୍ବନ୍ଧରେ କେତେକ ଜ୍ଞାତବ୍ୟ ବିଷୟ ନିମ୍ନରେ ପ୍ରକାଶ କରାଯାଉଅଛି ।

 

ସ୍ନାନ ଓ ରନ୍ଧନାର୍ଥ ବ୍ୟବହୃତ ଜଳ ଅପେକ୍ଷାକୃତ ବିଶୁଦ୍ଧ ହେବା ଆବଶ୍ୟକ । ଅତ୍ୟୁତ୍ତମ ରୂପେ ଜଳକୁ ସିଦ୍ଧ କରି ଜଳଯନ୍ତ୍ରରେ ଶୋଧନ କରି ବାଲୁକାରାଶି ଉପରେ ସ୍ଥାପନ କରିବ । କୀଟାଣୁ ଉତ୍ପତ୍ତି ନିବାରଣାର୍ଥ ତହିଁରେ ନିର୍ମଳ ତାମ୍ରଖଣ୍ଡ ନିକ୍ଷେପ କରି ରଖିବ । ସେହି ଜଳକୁ ଶୀତଳକରି ଛାଣି ପାନକଲେ ଶାରୀରିକ ଅପକାରର ଆଶଙ୍କା ଅନ୍ତରିତ ହେବ । ଉକ୍ତଜଳ ଶୋଧନ ହେତୁ ସ୍ଵାଦହୀନ ହେଲେ ତାହା ନାଗେଶ୍ୱର, ଚମ୍ପକ, ଉତ୍ପଳ ଏବଂ ପାଟଳୀଆଦି ପୁଷ୍ପଦ୍ୱାରା ସୁବାସିତ କରିବାକୁ ଶାସ୍ତ୍ରକାରମାନେ ବ୍ୟବସ୍ଥା ଦେଇଅଛନ୍ତି ।

 

ସାଧାରଣତଃ ଲୋକମାନେ ଜଳପାନ କରିଥାନ୍ତି । କେହି କେହି ଆହାର କାଳରେ ମଧ୍ୟେ ମଧ୍ୟେ, କେହି କେହି ଆହାରାନ୍ତେ ଜଳପାନ କରିଥାନ୍ତି । ଏ ସମ୍ବନ୍ଧରେ ଶାସ୍ତ୍ରର ସିଦ୍ଧାନ୍ତ ଏହି ଯେ–

 

‘‘ଭୁକ୍ତସ୍ୟାଦୌଜଳଂ ପୀତଂ କାର୍ଶ୍ୟଂ ମନ୍ଦାଗ୍ନି ଦୋଷକୃତ୍;

ମଧ୍ୟେଽଗ୍ନି ଦୀପନଂ ଶ୍ରେଷ୍ଠମନ୍ତେ ସ୍ଥୌଲ୍ୟଂ କପଂପ୍ରଦଂ ।’’

 

‘‘ଆହାରର ଆଦ୍ୟରେ ଜଳପାନ କଲେ କୃଶତା ଓ ଅଗ୍ନିମାନ୍ଦ୍ୟ, ଆହାର କରୁଥିବା ସମୟ ମଧ୍ୟରେ ପାନ କଲେ ଅଗ୍ନିବୃଦ୍ଧି ଏବଂ ଭୋଜନ ପରେ ପାନ କଲେ ସ୍ଥୂଳତା ଏବଂ କାଫୋତ୍ପତ୍ତି ହୁଏ ।’’ ‘‘ଭାବ ପ୍ରକାଶ’’ ମତରେ–

 

‘‘ଅତ୍ୟୁମ୍ବୁ ପାନାନ୍ନ ବିପଚ୍ୟମନ୍ନମନମ୍ବୁପାନାକ ସ ଏବ ଦୋଷଃ ।

ତସ୍ମାନ୍ନରୋ ବହ୍ନି ବିବର୍ନ୍ଧନାୟ ମୁହର୍ମୁହୁ ର୍ବାରି ପିବେଦଭୁରି ।’’

 

‘‘ଅଧିକ ଜଳପାନ କଲେ ବା କିଛିମାତ୍ର ପାନ ନ କଲେ ଅନ୍ନ ପରିପାକ ହୁଏ ନାହିଁ । ଅତଏବ ଅଗ୍ନିର ଦୀପ୍ତି ସକାଶ ବାରମ୍ବାର ଅଳ୍ପ ଅଳ୍ପ କରି ଜଳପାନ କରିବ ।’’

 

ଜଳପାନ ସମ୍ବନ୍ଧରେ ବୈଦ୍ୟଶାସ୍ତ୍ରର ଉପରୋକ୍ତ ସିଦ୍ଧାନ୍ତ ଡାକ୍ତରମାନେ ଅନୁମୋଦନ କରନ୍ତି ନାହିଁ । ଡାକ୍ତରୀ ମତରେ ‘‘ତୃଷା ନ ହେଲେ ଜଳପାନ କରିବ ନାହିଁ । ଆହାରର ପରେ ଅଳ୍ପ ଜଳପାନ କରିବା ଭଲ ।’’ କେହି କେହି ଆହାରକାଳରେ ମଧ୍ୟେ ମଧ୍ୟେ ବାରମ୍ବାର ଜଳପାନ କରିଥାନ୍ତି, ଏପରି କରିବା ଶରୀର ପକ୍ଷରେ ଅନିଷ୍ଟଜନକ, ଯେ ହେତୁ ପାଚକ ରସସମୂହ ଜଳମିଶ୍ରିତ ହେବାରୁ ତାଦୃଶ କାର୍ଯ୍ୟକ୍ଷମ ହୁଏ ନାହିଁ ଏବଂ ଅଜୀର୍ଣ୍ଣତା ଦୋଷ ଓ ପେଟର ପୀଡ଼ା ହୋଇଥାଏ । ଯେଉଁମାନଙ୍କର ଭଲ ପରିପାକ ହୁଏ ନାହିଁ, ଆହାରର ତିନିଘଣ୍ଟା ପରେ ସେମାନଙ୍କର ଜଳପାନ କରିବା ଉଚିତ । ଯଦି ବିଶେଷ କଷ୍ଟ ବା ଯଥାର୍ଥ ପିପାସା ନ ହୁଏ ତେବେ ରାତ୍ରିଭୋଜନ ପରେ ଜଳପାନ ନ କରି ପ୍ରାତଃକାଳରେ ପାନ କରିବା ଭଲ ।

 

ପ୍ରାତଃକାଳରେ ଜଳପାନ କଲେ ଶରୀରସ୍ଥ କ୍ଳେଦସମୂହ ଉତ୍ତମରୂପେ ଧୌତ ହୋଇଯାଏ ଏବଂ ମଳମୂତ୍ର ପରିଷ୍କାର ହୁଏ । ଏହି ଜଳ ଈଷତ୍‍ ଉଷ୍ମ ଥାଉଥାଉ ପାନ କଲେ ଅଜୀର୍ଣ୍ଣ, କୋଷ୍ଠବଦ୍ଧତା, ପଥୁରୀ ଆଦି ରୋଗ ଉପଶମ ହୁଏ ଏବଂ ଦୀର୍ଘକାଳ ବ୍ୟବହାରରେ ନିର୍ଦ୍ଦୋଷ ଆରୋଗ୍ୟ ହୁଏ । ଆହାରର ତିନିଘଣ୍ଟା ପରେ ବା ଏକଘଣ୍ଟା ପୂର୍ବେ ଜଳପାନ କଲେ ଅଜୀର୍ଣ୍ଣ ରୋଗୀର ପରିପାକଶକ୍ତି ବୃଦ୍ଧି ହୁଏ । ରାତ୍ରରେ ନିଦ୍ରାଯିବାର ଠିକ୍‍ପୂର୍ବେ ଜଳପାନ କରି ଶୟନ କଲେ ଶରୀର ମଧ୍ୟରେ ଜଳ ପୂର୍ଣ୍ଣମାତ୍ରାରେ କାର୍ଯ୍ୟ କରିପାରେ ଏବଂ ଶରୀରର ଯାବତୀୟ କ୍ଳେଦ ପରିଷ୍କାର କରିବାକୁ ସକ୍ଷମ ହୁଏ । ଯେପରି ଆହାର୍ଯ୍ୟ ଦ୍ରବ୍ୟ ଉତ୍ତମରୂପେ ଚର୍ବଣକରି ଧୀରେ ଧୀରେ ଗଳାଧଃକରଣ କଲେ ଅଳ୍ପ ଆହାର୍ଯ୍ୟ ଦ୍ରବ୍ୟରେ ଶରୀର ପୁଷ୍ଟି ସମ୍ପାଦିତ ହୁଏ, ସେହିପରି ତୃଷ୍ଣା ସମୟରେ ଅତି ଚଞ୍ଚଳରେ ପାନ ନକରି ଧୀରେ ଧୀରେ ଅଳ୍ପମାତ୍ରାରେ ପାନ କଲେ ତୃଷ୍ଣାର ଶାନ୍ତି ହୁଏ ଏବଂ ଶରୀର ହୃଷ୍ଟପୁଷ୍ଟ ହୁଏ ।

 

‘‘ଅରୋଚକେ ପ୍ରତିଶ୍ୟାୟେ ମନ୍ଦେଽଗ୍ନୌଶ୍ୱୟଥୌ କ୍ଷୟେ ।

ମୁଖପ୍ରସେକେ ଜଠରେ, କୁଷ୍ଠେ ନେତ୍ରାମୟେ ଜରେ ।

ବ୍ରଣେ ଚ ମଧୁମେହେ ଚ ପିବେତ୍ ପାନୀୟମଳ୍ପକଂ ।’’

 

ଅରୁଚି, ଶର୍ଦ୍ଦି, ମନ୍ଦାଗ୍ନି, ଶୋଥ, କ୍ଷୟ, ମୁଖ ଓ ଉଦରରୋଗ, କୁଷ୍ଠ ଓ ନେତ୍ରରୋଗ, ଜ୍ୱର, ବ୍ରଣ ଏବଂ ମଧୁମେହ ରୋଗରେ ଅଳ୍ପପରିମାଣରେ ଜଳପାନ କରିବା ଉଚିତ । ସାଧାରଣତଃ ଲୋକମାନେ ତୃଷାର୍ତ୍ତ ରୋଗୀକୁ ଜଳପାନ କରିବାକୁ ଦିଅନ୍ତି ନାହିଁ, ମାତ୍ର ଏ ରୀତି ଯୁକ୍ତି ଓ ଶାସ୍ତ୍ରସମ୍ମତ ନୁହେ । ପ୍ରମାଣ, ଯଥା–

 

୧.

ପାନୀୟଂ ପ୍ରାଣିନାଂ ପ୍ରାଣସ୍ତଦାୟତ୍ତଂ ହି ଜୀବନଂ

 

ତସ୍ମାତ୍ ସର୍ବସ୍ୱବସ୍ଥାସୁ ନ କ୍ଵଚିଦ୍ୱାରି ବାର୍ଯ୍ୟତେ ।

 

 

୨.

ଜୀବାନାଂ ଜୀବନଂ ଜୀବୋ ଜଗତ୍ସର୍ବନ୍ତୁ ତନ୍ମୟଂ,

 

ଅତୋଽତ୍ୟନ୍ତତୟା ସୁଜ୍ଞୋ ନ କ୍ଵଚିଦ୍ୱାରି ବାର୍ଯ୍ୟତେ ।

 

 

୩.

ତୃଷ୍ଣା ଗରୀୟସୀ ଘୋରା ସଦ୍ୟଃ ପ୍ରାଣବିନାଶିନୀ,

 

ତସ୍ମାଦ୍ଦେୟଂ ତୃଷାର୍ତ୍ତାୟ ପାନୀୟଂ ପ୍ରାଣଧାରଣାତ୍ ।

 

ପାନୀୟ ପ୍ରାଣୀମାନଙ୍କର ପ୍ରାଣ ସ୍ୱରୂପ, ଜୀବନ ତାହାର ଆୟତ୍ତାଧୀନ, ପାନୀୟ ଅଭାବରେ ତୃଷାର୍ତ୍ତ ବ୍ୟକ୍ତିର ତତ୍‍କାଳ ମୃତ୍ୟୁର ସମ୍ଭାବନା, ଏପରି ଅବସ୍ଥାରେ ରୋଗୀ ସୁସ୍ଥ କି ପୀଡ଼ିତ ବିଚାର ନକରି ପିପାସା ନିବାରଣ ନିମନ୍ତେ ଯେତିକି ପ୍ରୟୋଜନ ତେତିକି ମାତ୍ର ଜଳପାନ ନିମନ୍ତେ ପ୍ରଦାନ କରିବା ଉଚିତ । ପିପାସା ବ୍ୟତିରେକେ ଜଳପାନ ଅପକାରଜନକ । ରୋଗୀମାନଙ୍କ ପାନାର୍ଥ ସୁସିଦ୍ଧ ଜଳ ବ୍ୟବହାର କରିବାକୁ ବିସ୍ମୃତ ହେବ ନାହିଁ ।

 

ଆମ୍ଭମାନଙ୍କ ଦେଶର ଲୋକମାନେ ସାଧାରଣତଃ ଭୋଜନ ପରେ ଜଳପାନ କରିଥାନ୍ତି-। ଡାକ୍ତରମାନେ ମଧ୍ୟ ସେହି ସମୟକୁ ପ୍ରଶସ୍ତକାଳ ବୋଲି ସ୍ୱୀକାର କରୁଅଛନ୍ତି । ଦେଶପ୍ରଚଳିତ ରୀତିପ୍ରତି ଲକ୍ଷ୍ୟକଲେ ଉକ୍ତ ପ୍ରଥା ଅନିଷ୍ଟକର ଥିବାର ଜଣାଯାଉନାହିଁ । ମଧ୍ୟେ ମଧ୍ୟେ ଜଳପାନ କଲେ ଭୋଜନରେ ବାଧା ଘଟେ । ଭୋଜନପରେ ଅଳ୍ପ ଜଳପାନ କରିବା ଉଚିତ-। ଅଧିକ ପାନ କଲେ ପରିପାକରେ ବାଧା ଘଟେ । କିପରି ଜଳପାନ କଲେ କେତେକାଳ ମଧ୍ୟରେ ଜୀର୍ଣ୍ଣ ହେବ ତାହା ସମସ୍ତଙ୍କର ଅବଗତ ହେବା ଆବଶ୍ୟକ । ଏ ସମ୍ବନ୍ଧରେ ବୈଦ୍ୟଶାସ୍ତ୍ରରେ ଲିଖିତ ଅଛି–

 

‘‘ଆମଂ ଜଳଂ ବୀର୍ଯ୍ୟତି ଯାମ ମାତ୍ରଂ

ତଦର୍ଦ୍ଧ ମାତ୍ରଂ ଶୃତ ଶୀତଳଞ୍ଚ ।

ତଦର୍ଦ୍ଧ ମାତ୍ରଂ ତୁ ଶୃତଂ କଦୁଷ୍ଣଂ,

ପୟଃ ପ୍ରପାକେଽ ବଧିରେବ ଉକ୍ତଃ’’ ।

 

‘‘ସିଦ୍ଧ ହୋଇନଥିବା ଜଳ ୩ଘଣ୍ଟାରେ, ସିଦ୍ଧ ହୋଇ ଶୀତଳ ହୋଇଥିବା ଜଳ ଘ୧/୩୦ ମିନଟରେ ଏବଂ ସିଦ୍ଧହୋଇ ଅଳ୍ପ ଉଷ୍ମଥିବା ଜଳ ୪୫ ମିନଟ ସମୟ ମଧ୍ୟରେ ଜୀର୍ଣ୍ଣ ହୋଇଥାଏ ।’’ ଅତ୍ୟୁଷ୍ଣ ଜଳପାନ କଲେ ଶରୀରର ନାନା ଅନିଷ୍ଟ ଜାତ ହୁଏ । ଅତଏବ ଶୃତ ଶୀତଳ (ସିଦ୍ଧ ହୋଇ ପରେ ଶୀତଳ ହୋଇଥିବା) ଜଳ କିମ୍ବା ଶୃତ କକୋଷ୍ଣ (ସିଦ୍ଧ ହୋଇ ଅଳ୍ପ ଉଷ୍ଣଥିବା) ଜଳ, ପାନପକ୍ଷରେ ପ୍ରଶସ୍ତ ।

 

ଖାଲିପେଟରେ ଉଷ୍ଣଜଳ ପାନକଲେ ଅମ୍ଳପିତ୍ତଜନିତ ଛାତିଜ୍ୱାଳା ଓ ଅମ୍ଳ ଉଦ୍ଗାର ହୁଏନାହିଁ । ସିଦ୍ଧହେବା ପରେ ଅଳ୍ପଉଷ୍ଣ ଥିବା ଜଳପାନ କଲେ ମେଦୋରୋଗର ଉପଶମ ହୁଏ, ଶରୀରର ବାତବ୍ୟାଧି ଆଦିରୁ ବିଷ ନିର୍ଗତ ହୋଇଯାଏ । ଘର୍ମ୍ମ ନିଃସରଣ କ୍ରିୟା ବର୍ଦ୍ଧନ ଏବଂ ମୂତ୍ରଯନ୍ତ୍ରର ପ୍ରବାହ ନିବାରଣ ନିମନ୍ତେ ଉଷ୍ଣଜଳ ଅଧିକ ଉପକାରୀ । ଆମାଶୟ ଓ ପକ୍ୱାଶୟରୁ ଉଷ୍ମଜଳ ଯକୃତ ପ୍ରଭୃତି ସ୍ଥାନକୁ ଯାଇ ପିତ୍ତ ନିଃସରଣ କ୍ରିୟା ବର୍ଦ୍ଧିତ କରେ ଏବଂ ପାକସ୍ଥଳୀରୁ ବା ଆମାଶୟରୁ ଗାଢ଼ଶ୍ଳେଷ୍ମା ଦୂରକରି ଆହାରୀୟ ଦ୍ରବ୍ୟ ଶୀଘ୍ର ପରିପାକର ସାହାଯ୍ୟ କରେ । (ଉଦରରେ ଶ୍ଳେଷ୍ମା ଥିଲେ ପରିପାକ କାର୍ଯ୍ୟରେ ବାଧା ଘଟିଥାଏ ।)

 

ଆହାର କରିଥିବା ଦ୍ରବ୍ୟ ପରିପାକ ନ ହେଲେ ଉଦରରେ ଏକପ୍ରକାର ବିଷାକ୍ତ ପଦାର୍ଥ ଜାତ ହୁଏ; ଉଷ୍ମଜଳ ପାନ କଲେ ସେହି ବିଷାକ୍ତ ପଦାର୍ଥ ମଳଦ୍ୱାରା ନିର୍ଗତ ହୋଇଯାଏ ଏବଂ କୋଷ୍ଠ ପରିଷ୍କାର ରହେ । ବମନ ନିବାରଣ କରିବାପାଇଁ ଅଳ୍ପ ପରିମାଣରେ ଅତ୍ୟୁଷ୍ଣ ଜଳପାନ କଲେ ସୁଫଳ ଲାଭ ହୁଏ । ସହ୍ୟହେବା ଭଳି ଗରମ ଜଳ ଏକ ଗୋଳା (ଚାମଚ ବା ପଳା) ପାନ କରିବାକୁ ହେବ ।

 

ଉଷ୍ଣ ଜଳ ସହିତ ଅଳ୍ପପରିମାଣରେ ‘‘ସୋଡ଼ା’’ ମିଶାଇ ପାନକଲେ ଯକୃତ ଭିତରେ ପିତ୍ତ ଜମି ପ୍ରସ୍ତର ହୋଇପାରେ ନାହିଁ ।

 

ଅବରୁଦ୍ଧ ପିତ୍ତଜନିତ ଯକୃତ ଶୂଳ ନିବାରଣ ନିମନ୍ତେ ପୁନଃ ପୁନଃ ଏପରି ଜଳପାନ କରିବା କର୍ତ୍ତବ୍ୟ । ଚାରି ପାଞ୍ଚଗୋଟା ଚାଉଳ ଉଷ୍ଣଜଳ ସହିତ ଗିଳିଦେଲେ ଆମାଶୟର ଅଜୀର୍ଣ୍ଣତାଜନିତ ଯାବତୀୟ ପଦାର୍ଥ ଶୀଘ୍ର ପକ୍ୱାଶୟକୁ ନିର୍ଗତ ହୋଇଯାଏ ।

 

କେବଳ ଉଷ୍ଣଜଳର କିମ୍ବା ନିମ୍ବ ଓ ବେଗୁନିଆ ପତ୍ର ସିଝିଥିବା ଉଷ୍ଣଜଳର ବାମ୍ଫୁଆଣି ଦେଲେ ବାତ ଏବଂ ରକ୍ତଦୁଷ୍ଟି ରୋଗରେ ବିଶେଷ ଫଳଲାଭ ହୁଏ । ଜ୍ୱର, ବିସୂଚିକା ବା ରକ୍ତସ୍ରାବ ରୋଗରେ ଈଷଦୁଷ୍ଣ ଲବଣ ମିଶ୍ରିତ ଜଳ ପାନକଲେ ରୋଗୀ ସ୍ୱାସ୍ଥ୍ୟଲାଭ କରେ । ଏକଛଟାଙ୍କି ଜଳରେ ଦୁଇରତି ଲବଣ ମିଶାଇ ପାନକଲେ ବା ପିଚକାରୀ ଦ୍ୱାରା ଶରୀରରେ ପ୍ରବେଶ କରାଇଲେ ମୃତପ୍ରାୟ ରୋଗୀ ମଧ୍ୟ ଜୀବିତ ହୋଇପାରେ ।

 

ରାତ୍ରିଶୟନର ପୂର୍ବେ ଏକଗିଲାସ ଉଷ୍ଣଜଳରେ (ଯୋଡ଼ିଏ ଅଙ୍ଗୁଳିଦ୍ୱାରା ଯେତିକି ଉଠାଯାଇପାରେ ତେତିକି) ସୈନ୍ଧବ ଲବଣ ମିଶାଇ ପାନକଲେ ଶୁଷ୍କକାଶ ନିବାରଣରେ ସାହାଯ୍ୟ କରେ । ଶ୍ୱାସ ନିବାରଣ ନିମନ୍ତେ ମଧ୍ୟ ଏହିପରି ଜଳପାନ ଉପକାରଜନକ । ଅଭୁକ୍ତ ଅବସ୍ଥାରେ ଏକ ବା ଦେଢ଼ପା ଉଷ୍ଣଜଳ ପାନକଲେ ଅଜୀର୍ଣ୍ଣ ଓ ଅମ୍ଳପିତ୍ତ ରୋଗୀମାନେ ଉପକୃତ ହୁଅନ୍ତି । ଯେଉଁମାନଙ୍କର ପ୍ରସ୍ରାବ ଅଳ୍ପ ପରିମାଣରେ ହୁଏ, ପୁଣି ତାହା ପ୍ରାୟ ରକ୍ତ ବା ପୀତବର୍ଣ୍ଣ ଏବଂ ଅତ୍ୟନ୍ତ କ୍ଷାରଯୁକ୍ତ ହୋଇଥାଏ ଏବଂ ପ୍ରସ୍ରାବ କାଳରେ କଷ୍ଟ ବୋଧ ହୁଏ ସେମାନଙ୍କ ପକ୍ଷରେ ଉଷ୍ଣ ଜଳପାନ ଶ୍ରେଷ୍ଠ ଔଷଧ ।

 

ସାଧାରଣତଃ ଉଷ୍ଣ ଜଳ ସର୍ବଦା ହିତଜନକ, କାଶ, ଶ୍ୱାସ, ମଳମୂତ୍ରାଦିର ବିବଦ୍ଧତାନାଶକ, କଫ, ବାୟୁ ଓ ଆମଦୋଷହାରକ, ଦୀପକ ଏବଂ ମୂତ୍ରାଶୟଶୋଧକ । ଜଳକୁ ସିଦ୍ଧ କରିସାରିବାପରେ ତାକୁ ଘୋଡ଼ାଇ ଅନ୍ତର୍ବାସଦ୍ୱାରା ଶୀତଳ କରି ପାନକଲେ ତ୍ରିଦୋଷ ନଷ୍ଟ ହୁଏ-

 

ଏ ଦେଶର ଅଧିକାଂଶ ଲୋକ ଗଡ଼ୁ, ଢାଳ ବା ଗିଲାସ ଟେକି ମୁଖଗହ୍ୱରରେ ଜଳ ଢାଳି ଗିଳିଦେଇଥାନ୍ତି । ଏପରି ଧାରଜଳ ପାନକଲେ ଅଳ୍ପଜଳପାନରେ ପିପାସା ଶାନ୍ତ ହୁଏନାହିଁ–ସୁତରାଂ ଅଧିକ ଜଳପାନ କରିବା ଆବଶ୍ୟକ ହୁଏ । ଅଧିକ ଜଳପାନ ପରିପାକ କ୍ରିୟାରେ ବାଧା ଘଟାଉଥିବା କଥା ପୂର୍ବେ ଉଲ୍ଲେଖ କରାଯାଇଅଛି । ଧାରାଜଳ ପାନକଲେ ସେହି ଜଳ ବାୟୁଦ୍ୱାରା ସ୍ତମ୍ଭୀଭୂତ ହୋଇ ଅନେକ ବିଳମ୍ବରେ ଜୀର୍ଣ୍ଣ ହୋଇଥାଏ । ଜଳପାତ୍ରରେ ମୁଖଲଗାଇ ଚାଖିଲାପରେ ଅଳ୍ପ ଅଳ୍ପ ଜଳ ଧୀରେ ଧୀରେ ପାନ କଲେ ଶରୀରର ଶ୍ରେୟଃ ସାଧନ କରେ-

 

ଆମ୍ଭମାନଙ୍କ ଦେଶର କି ଶିକ୍ଷିତ, କି ଅଶିକ୍ଷିତ ସ୍ୱାସ୍ଥ୍ୟତତ୍ତ୍ୱ ମାନିଚଳିବା ବିଷୟରେ ସଦା ଉଦାସୀନ । ଏହି ଉଦାସୀନତାର ବିଷମୟ ଫଳ ସମସ୍ତେ ଅଳ୍ପାଧିକ ପରିମାଣରେ ଭୋଗକରି ଅଳ୍ପାୟୁ ହେଉଅଛନ୍ତି ପଛକେ, ତଥାପି ସାବଧାନତା ଅବଲମ୍ବନ କରିବାକୁ ନାହିଁ । ଅଜୀର୍ଣ୍ଣରୁ ନାନାରୋଗର ଉତ୍ପତ୍ତି । ଜଳ ସେହି ସର୍ବରୋଗ ଉତ୍ପାଦକ ଅଜୀର୍ଣ୍ଣ ରୋଗର ନାଶକ । ବୈଦ୍ୟଶାସ୍ତ୍ରରେ ସ୍ପଷ୍ଟାକ୍ଷରରେ ଲିଖିତ ଅଛି–

 

‘‘ଅଜୀର୍ଣ୍ଣେ ଜଳମୌଷଧଂ ।’’

 

ପୁନଶ୍ଚ–

 

‘‘ଅଜୀର୍ଣ୍ଣେ ଭେଷଜଂ ବାରି, ଜୀର୍ଣ୍ଣେ ବାରି ବଳପ୍ରଦଂ ।’’

 

ଜଳ ବିବିଧ ରୋଗନାଶକ ଥିବାହେତୁ ପଣ୍ଡିତମାନେ ଜଳକୁ ‘ପୀୟୂଷ’, ‘ଜୀବନ’ ଆଖ୍ୟା ପ୍ରଦାନ କରିଅଛନ୍ତି । ଏହା ଜାଣିଶୁଣି ଏହି ପୁସ୍ତକବର୍ଣ୍ଣିତ ରୀତିରେ ଜଳ ବ୍ୟବହାର କରି ନିଜନିଜର ମଙ୍ଗଳସାଧନ କରିବା ସମସ୍ତଙ୍କର କର୍ତ୍ତବ୍ୟ ।

Image